ଶୂନ୍ୟତାର ସତ୍ତା
~ ଅସିତ କୁମାର
( ୧ )
ଭଗ୍ନ ହୃଦୟର
କେଉଁ ଏକ ନିବୁଜ କୋଠରୀରେ
ମୁଠା ମୁଠା ମଲା ସ୍ୱପ୍ନଗୁଡା
ବେଶ୍ ଜୀର୍ଣ୍ଣଶୀର୍ଣ୍ଣ
ବାକ୍ସରୁ ଗୋଟି ଗୋଟି କାଢ଼ି
ଫିଙ୍ଗୁଥାଏ
ଭାବନାର ହୋମାଗ୍ନିକୁ......
ଚୁପ୍ଚ଼ାପ୍ ବସି
ନିରୀକ୍ଷଣ କରେ....
ଅଗ୍ନିକୁଣ୍ଡରୁ ନିର୍ଗତ
ପ୍ରତିଟି କୁହେଳିର ଧାର
କୋହ ହୋଇ ଝରିପଡ଼େ
ଆଉ ମିଶିଯାଏ
ଶୂନ୍ୟତାର ନୀଳ ଦରିଆରେ ।।
( ୨ )
ଦର ଆଉଜା କବାଟ କଣରୁ
ମୁହଁ ଟେକି ଦେଖେ ବାହାରକୁ.....
କାୟା କଳ୍ପନାରେ
ଲାଗିପଡ଼େ ଅନାୟାସରେ
ଯେଉଁଠି ମଲା ସ୍ୱପ୍ନ
ନିଜ ଠିକଣା ହଜାଇ
ସମାଧିସ୍ଥ ହୁଏ
କେଉଁ ଏକ ଶୂନ୍ୟତାର ରାଇଜରେ।।
( ୩ )
ଆଜି ପ୍ରତିଟି ସତ୍ତାରେ
ଖୋଜିବୁଲେ
ହେଲେ ମୋ' ଠାରୁ ଅନେକ ଦୂର
ତା'ର ସେ ଅଜଣା ଠିକଣା....
ଅସ୍ତିତ୍ୱ ବିହୀନ
ଏଯାଏଁ ବିଶ୍ୱାସ ନାହିଁ
ଖିଆଲି ମନରେ
ନିଜକୁ ନିଜେ ଖୋଜୁଥାଏ
ଅନୁତାପର ଉଷୁମ ଲୁହ
ଦୁଇ ଟୋପା ....
ସଫେଦ ଶଙ୍ଖମଲମଲ
ଚ଼ଟାଣ ଦେଖେଇ ଦିଏ
ମନର ମାନସିକତାରେ
କଳୁଷିତ ଇତିହାସର ପୃଷ୍ଠା
ଫର୍ଦ୍ଦ ଫର୍ଦ୍ଦ ହୋଇ ଝୁଲୁଥାଏ
ଶୂନ୍ୟତାର ଖୋଲା ଆକାଶରେ ।।
( ୪ )
ଅନନ୍ତର ଅନ୍ୱେଷଣ
ଅନ୍ୟମନସ୍କ ତ
କେବେ ପୁଣି
ନୀରବତାର ପ୍ରତିଧ୍ୱନି
ଦେହର ଛିଟାବାଡ଼ କାନ୍ଥରେ
ପିଟି ହୋଇ
ଶଯ୍ୟାଶାୟୀକୁ ଜଣାଏ
ଅଜସ୍ର ମରମ ବେଦନା ।।
ଏକାକୀ ଜୀବନର
ଚଲାବାଟରେ
ଭିଡରେ ମୋଡ଼ରେ
ବଖାଣି ବସେ
କୋଉ ଦୁର୍ବଳ ମୁହୂର୍ତ୍ତକୁ ନେଇ
ଶୂନ୍ୟତାର ଶେଷ ସ୍ୱୀକାରୋକ୍ତି ।।
( ୫ )
ଜୀବନ ଯାତ୍ରାକୁ
ପାଥେୟ କରି
ନିଜେ ସାଜେ ନିଜ ସାରଥି
ବିବଶ ବପୁକୁ ସାଥେ ଧରି ।।
ପାର୍ଥିବ ଶରୀରରୁ
ନିର୍ବାଣ ଯାଏଁ
ଅଜଣା ମଣିଷ
ଅଚି଼ହ୍ନା ଗଳିର ଶେଷରେ ଥିବା
ଛପର କୁଡ଼ିଆ
ମୋ' ବାଟ ଓଗାଳି ବସେ
କିନ୍ତୁ.....
ଯେତେ ସବୁ ଅଭିସନ୍ଧି ମୋର
ଉଡାଣ ଭରେ
ମହାଶୂନ୍ୟତାର ଅଭିମୁଖେ.....।।
Awesome 👌👌
ReplyDelete